06/09/2017
ଜଣେ ଭିନ୍ନ ଗୁରୁ ଓ ଶିଷ୍ୟଙ୍କ ବିଷୟରେ , ପଢାବହିରୁ ।
ଅତି ସୁକୁମାର ପିଲାଟି ଧିରେ କହଇ କଥା ,
କେବେହେଲେ କାହା ମନରେ ଥରେ ନ ଦିଏ ବ୍ୟଥା ।
ମିଥ୍ୟା ପ୍ରତି ସଦା ତାହାର ଥାଏ ମନରେ ଭୟ ,
ନିର୍ଭୟ ସେ ତେଣୁ ସବୁଠି ରଖେ ସତ୍ୟରେ ଲୟ ।
ଥରେ ତା ଜୀବନେ ଆସିଲା ମହା ସଙ୍କଟ ଏକ ,
ଡରି ନ ଯାଇ ସେ ରଖିଲା ନିଜ ବିବେକ ଟେକ ।
ଆସି ବିଦ୍ୟାଳୟେ ସେଦିନ ପରିଦର୍ଶକ ଜଣେ ,
ପଚାରିଲେ ପ୍ରଶ୍ନ ଶ୍ରେଣୀରେ ଚାହିଁ ବାଳକ ଗଣେ ।
ଶବ୍ଦ ପାଞ୍ଚ ଗୋଟି ଡାକୁଛି ଲେଖ ନିର୍ଭୁଲ କରି ,
ବାଳକେ ଲେଖିଲେ ଉତ୍ତର ଯେଝା ସିଲଟ ଧରି।
ଲେଖୁଥାଏ ବସି ପିଲାଟି କାହିଁ ନ ଚାହିଁ ତିଳେ ,
କାହୁଁ କିଏ ଆସି ଟିପିଲା ତାର ପାଦକୁ ଧିରେ।
ଚାହିଁଲା ଚମକି ପାଖରେ ଗୁରୁ ଦିଅନ୍ତି ଠାରି ,
ଭୁଲ ଶବ୍ଦଟିଏ ଲେଖି ତୁ ସବୁ ଦେଲୁରେ ସାରି ।
ପାଖ ବାଳକର ଲେଖାକୁ ତୁହି ଖଞ୍ଜରେ ଦେଖି ,
ଶୁଦ୍ଧ କରି ସେଇ ଶବ୍ଦଟି ଦିଅ ଚଞ୍ଚଳ ଲେଖି।
ଅନ୍ୟଥା କରେନି ପିଲାଟି କେବେ ଗୁରୁଙ୍କ କଥା,
ଅନ୍ୟାୟ ସଙ୍କେତେ ମାତ୍ର ସେ ଆଜି ପୋତିଲା ମଥା ।
ଚାଲିଗଲେ ପରିଦର୍ଶକ ଯେବେ ଘଣ୍ଟାକ ପରେ ,
ତିଆରି ତାହାକୁ କହିଲେ ଗୁରୁ ବିରକ୍ତି ଭରେ ।
ଏଡିକି ନିର୍ବୋଧ ପିଲାତୁ ଠାର ବୁଝିଲୁ ନାହିଁ ,
ଦେଖି ଲେଖିଥିଲେ ସୁନାମ ସିନା ଥାଆନ୍ତୁ ପାଇ ।
ବିନୟେ କହିଲା ପିଲାଟି କପି କରିବା ପରା,
ଅନ୍ୟାୟ ଭିତରେ ଗୁରୁଜୀ ବଡ ଅନ୍ୟାୟେ ଧରା ।
କରିଥାନ୍ତି ଅବା କିଭଳି ଏଡେ ଅନୀତି କାମ ,
ଅସତ ପଥରେ ଚଳିକି କେହି ଅରଜେ ନାମ ।
ଅରଜିଲା ନାମ ଦିନେସେ ମହା ଆଦର୍ଶ ତାର ,
ରଖିଗଲା କାଳ ବକ୍ଷରେ ଏକ ଅଲିଭା ଗାର।
ହେଲା ଗୁରୁଙ୍କର ଗୁରୁ ସେ ଢାଳି ଆଲୋକ ଧାରା ,
ବାପୁଜୀ ନାମରେ ମୋହିଲା ସେତ ଜଗତ ସାରା ।