02/09/2025
◆ _*💥ଗଣେଶ ଚତୁର୍ଥୀ 💥*_ ◆
ଏଥର ଗଣେଶ ଚତୁର୍ଥୀ ପଡିଲା ବୁଧବାରରେ । ଏଇଥିରୁ ଗୋଟିଏ କଥା ମନେ ପଡ଼ିଲା ମୋର । ଛୋଟବେଳେ ସାଙ୍ଗସାଥି ମେଳରେ ଯେତେବେଳେ ଗଣେଶପୂଜା କଥା ପଡେ ସେତେବେଳେ ମୁଁ ସବୁବେଳେ ଠାକୁରଙ୍କୁ ଡାକେ ଯେ , ହେ ପ୍ରଭୁ ... ଗଣେଶପୂଜା ଏଥର ବୁଧବାରରେ ପଡୁ । ତାର ଏକ ସ୍ୱତନ୍ତ୍ର କାରଣ ବି ଥିଲା । ବୁଧବାରରେ ଗଣେଶପୂଜା ପଡିଲେ ମଙ୍ଗଳବାର ଦିନ ସ୍କୁଲରେ ଆଉ ପାଠପଢା ହୁଏନି । ଶ୍ରେଣୀଗୃହ ସବୁ ସଫାସଫି ହୋଇ ଧୁଆପୋଛା ହୁଏ । ଯେଉଁ ଟେବୁଲ ଉପରେ ଗଣେଶଙ୍କ ମୂର୍ତ୍ତି ରଖାଯିବ ସେଇ ଟେବୁଲ ବି ଭଲ ଭାବରେ ଧୁଆ ହୋଇ ରଖାଯାଏ । ରଙ୍ଗୀନ କାଗଜ ସବୁ କାଟି ଟେବୁଲ ପଛ କାନ୍ଥ , କବାଟ , ଝରକା ଉପରେ ସବୁ ଝୁଲାଯାଏ । ଗେଟ ପାଖରେ ବି ଏଇ ରଙ୍ଗୀନ କାଗଜର ଗୋଟେ ତୋରଣ କରାଯାଏ । ସ୍କୁଲ ବାରଣ୍ଡାରୁ ସ୍କୁଲ ଗେଟ ଯାଏ ଦୁଇ ପାଖରେ ଦୁଇଟି ସୁତୁଲି ଭିଡ଼ିକି ବନ୍ଧା ହୁଏ । ମଇଦାକୁ ରାନ୍ଧି ସେଥିରେ ଅଠା ତିଆରି କରି ସେଇ ସୁତୁଲିରେ ବୋଳି ସେଥିରେ ସବୁ ରଙ୍ଗୀନ କାଗଜ ଝୁଲାଯାଏ । ଏମିତି ସୁନ୍ଦର ଭାବରେ ସଜାଯାଏ ସ୍କୁଲକୁ । ଏ ସବୁ ବଡ଼ଶ୍ରେଣୀର ପିଲାମାନେ କରନ୍ତି । ଆମେ ସାନଶ୍ରେଣୀର ଛୁଆମାନେ ସେ ଦିନଯାକ ଖାଲି ବୁଲିବୁଲି ଘରକୁ ଆସୁ । ପାଠ ନାହିଁ କି ଶାଠ ନାହିଁ । ଏ ସବୁ ମୋର ତୃତୀୟ ଶ୍ରେଣୀ ପଢିବା ବେଳର କଥା । ଏ ତ ଗଲା ପୂର୍ବଦିନ କଥା । ତା ପରଦିନ ବୁଧବାର , ଗଣେଶପୂଜା । ଆମେ ସେତେବେଳେ ଗଣେଶ ପୂଜା ଆଉ ସରସ୍ୱତୀ ପୂଜାରେ ପାଠ ପଢୁ ନଥିଲୁ । ମନରେ ବିଶ୍ୱାସ ଥିଲା ଯେ ଏଇ ଦିନରେ ପାଠ ପଢିଲେ କୁଆଡେ ଠାକୁର ରାଗନ୍ତି । ପାଠ ଦିଅନ୍ତିନି । ସେ ଦିନଟି ବି ବିନା ପାଠପଢ଼ାରେ ଯାଏ । ତା ପରଦିନ ଗୁରୁବାର । ଗୁରୁବାରରେ ଗଣେଶ ବିସର୍ଜନ ହୁଅନ୍ତିନି ବୋଲି ବିଶ୍ୱାସ କରୁଥିଲେ ଆମ ସ୍କୁଲର ହେଡ୍ ସାର୍ । ସେଥିପାଇଁ ମୁଁ ପଢ଼ୁଥିବା ପ୍ରାଇମେରୀ ସ୍କୁଲଟିରେ ଗୁରୁବାରରେ ଗଣେଶ ସରସ୍ୱତୀଙ୍କୁ ବିସର୍ଜନ ଦିଆଯାଏ ନାହିଁ । ସେଥିପାଇଁ ସେଦିନ ସ୍କୁଲରେ ପାଠପଢ଼ା ବନ୍ଦ ରୁହେ । ତା ପରଦିନ ଶୁକ୍ରବାର । ସେଦିନ ବିସର୍ଜନ । ପ୍ରଥମ ଦୁଇ ତିନିଟି ପିରିୟଡ଼ ବିସର୍ଜନ କାମରେ ବ୍ୟସ୍ତ ରହିଯାଅନ୍ତି ସମସ୍ତେ । ତା ପରେ ଅଳ୍ପ କିଛି କିଛି ପାଠପଢା ହୁଏ । ଏମିତି ସର୍ବମୋଟ ଚାରିଦିନ ଖଣ୍ଡେ ସ୍କୁଲ ପାଠପଢ଼ା ଟିକେ ହୁଗୁଳା ହୋଇଯାଏ । ମୋତେ ଭାରି ସୁହାଏ ଏ ସବୁ ।
ମୋର ମନେଅଛି ଛୁଆବେଳେ ମୁଁ ସନ୍ଧ୍ୟା ପ୍ରାର୍ଥନା କରିସାରି ଜେଜେବାପାଙ୍କ କୋଠରୀ ଆଗରେ ଲୁଙ୍ଗୁରୁ ପୁଙ୍ଗୁରୁ ହୁଏ ( ସବୁଦିନ ନୁହେଁ , ଯେଉଁଦିନ ପାଠପଢ଼ାରେ ମୁଡ୍ ନଥାଏ ) । ବୋଉ କହୁଥିବ , ' ତୁ ଏ ଯାଏ ପଢ଼ାରେ ବସିନୁ ଆହୁରି ? ଯା' ଚଞ୍ଚଳ ଏଠୁ । ବହି ଖାତା ବାହାର କର ।" ମୁଁ କହୁଥିବି ... ହଁ ଯାଉଛି ବା । ଏ ଭିତରେ ଜେଜେବାପା ତାଙ୍କ ବସ୍ତାନୀ ଖୋଲନ୍ତି । ବାହାର କରନ୍ତି ଟୀକା ଗୋବିନ୍ଦଚନ୍ଦ୍ର , କେଶବ କୋଇଲି ଚଉତିଶା , ସର୍ବମଙ୍ଗଳା ସ୍ତୁତି , ମୃଗୁଣୀ ସ୍ତୁତି , ବସନ୍ତ ରାସ ... ଏମିତି ଆହୁରି କେତେ ବହି ସବୁ । ମୋତେ ଡାକନ୍ତି ପାଖକୁ । ବହି ଖଣ୍ଡିଏ ମୋ ହାତରେ ଧରେଇ ଦେଇ କୁହନ୍ତି ସ୍ୱର କରି ବଡ଼ ପାଟିରେ ବୋଲ । ମୁଁ ତ ଏଇ ମଉକାର ଅପେକ୍ଷାରେ ହିଁ ଥାଏ । ବୋଲି ଚାଲେ ବଡ଼ ପାଟିରେ । ଜେଜେମା' ବି ଶୁଣେ ପାଖରେ ବସି ବେଳେବେଳେ । ମୋ ମନ ଖୁସ୍ ... ପାଠ ରୁ କିଛି ସମୟ ମୁକ୍ତି ମିଳିଛି , ସେଣିକି ଯାହା ହେଉଛି ହେଉ । ଜେଜେବାପାଙ୍କ ଆଗରେ ବୋଉ ମୁହଁ ବି ଚୁପ୍ । କେବଳ ପାଠ ବହିକୁ ଛାଡିଦେଲେ ଆଉ ସବୁ ପ୍ରକାର ବହି ପଢିବାରେ ମୋର ଆଗ୍ରହ କାହିଁରେ କଣ । ନନା ଆଉ ବୋଉ ଉଭୟଙ୍କ ସ୍କୁଲ ଲାଇବ୍ରେରୀର ସବୁ ଗପ ବହି ବୋଧେ ମୁଁ ପଢି ଦେଇଥିଲି ସେତେବେଳେ । ଖୁବ ଛୋଟ ବେଳୁ ପଢିବା ଆରମ୍ଭ କରି ସାରିଥିଲି ବିଶ୍ୱ ସାହିତ୍ୟ ଗ୍ରନ୍ଥମାଳାର ଅନେକ ବହି ସବୁ । ଗଲିଭର କାହାଣୀ , କୃଷ୍ଣ ସୁନ୍ଦର , ଟମକାକାଙ୍କ କୁଟୀର , ରତ୍ନଦ୍ବୀପ , ଋଷର ଲୋକକଥା , ଜାପାନର ଲୋକକଥା .... ଏ ସବୁ ମୋର ଖୁବ ପ୍ରିୟ ବହି ଥିଲା । କିନ୍ତୁ ପାଠ ବହି ସହ ଥିଲା ମୋର ଯୋଜନ ଯୋଜନ ଦୂରତା । ଖାଲି ବାଧ୍ୟରେ ଧରୁଥିଲି ସିନା । ଅବଶ୍ୟ ବୟସ ବଢ଼ିବା ସହ ପାଠ ପ୍ରତି ଦାୟିତ୍ୱବୋଧ ମଧ୍ୟ ଆସି ଯାଇଥିଲା ଧୀରେ ଧୀରେ ।
ଦଶହରାରେ ଆମ ଘରେ ପୋଥିପୂଜା ହୁଏ । ଗୋଟେ ଷ୍ଟୁଲ୍ କୁ ଧୁଆଧୋଇ କରି ତା ଉପରେ ସାଲୁକନା ପକାଯାଏ । ଆମ ଘରେ ଗୋଟେ ବଡ଼ ଲୁହାଟ୍ରଙ୍କ ଭିତରେ ବହୁତ ପୋଥିପୁରାଣ ବହି ସବୁ ଅଛି । ରାମାୟଣ , ମହାଭାରତ , ଗୀତା , ଭାଗବତ , ରାମଚରିତ ମାନସ , ପଦ୍ମପୁରାଣ , ଗରୁଡ଼ ପୁରାଣ .... ଏମିତି କେତେ ମୋଟା ମୋଟା ବହି ସବୁ । ସେଥିରୁ କିଛି ବହି କାଢି ବୋଉ ସେ ଷ୍ଟୁଲ୍ ଉପରେ ଥୁଏ ପୂଜା ହେବ ବୋଲି । ଆମ ସମସ୍ତଙ୍କୁ କୁହେ ଯିଏ ଯେଝାର ଖଣ୍ଡେ ଖଣ୍ଡେ ବହି ଆଣି ଏଠି ଥୋଇଦିଅ । ପୂଜା ହେବ । ଦୁଇଦିନ ଖଣ୍ଡେ ସେ ବହି ସେଇଠି ରହେ ସେମିତି । ସେଥିପାଇଁ ମୁଁ ମୋ ଗଣିତ ବହି ସହ ଆଉ ଦି' ତିନିଖଣ୍ଡ ବହି ନେଇ ଥୋଇଦିଏ ସେଇଠି । ସନ୍ଧ୍ୟାବେଳେ ଯେତେବେଳେ ନନା ମୋତେ କୁହନ୍ତି , "ଗଣିତ ବହିଟା ଆଣିଲୁ " । ମୁଁ କୁହେ ... ପୋଥି ପାଖରେ ଥୋଇ ଦେଇଛି । ଆଣି ହେବନି ଆଜି ଆଉ। ମହା ପାଠଚୋରଣୀ ଥିଲି ମୁଁ ଛୁଆବେଳେ । କିନ୍ତୁ ଗଧୀ ନଥିଲି ଆଦୌ । ବଢିଆ ପାଠ ମନେ ରହୁଥିଲା ମୋର । କିନ୍ତୁ ଜବରଦସ୍ତିଆ ପାଠପଢ଼ା ମୋ ଦ୍ୱାରା ହେଉ ନଥିଲା । ଖେଳିବୁଲି ପାଠ ପଢୁଥିଲୁ ଆମେ । ସବୁ ପୂଜାପର୍ବର ମହତ୍ତ୍ୱ ଥିଲା ଆମ ପାଖରେ । ଗଣେଶ ପୂଜାର ପନ୍ଦର ଦିନ ଆଗରୁ ମନରେ ଉତ୍ସାହ ଭରି ଯାଉଥିଲା ।
ଗଣେଶପୂଜା ପୂର୍ବଦିନ ରାତିରେ ଆମଘରେ ରାଶିଲଡୁ ଆଉ ଉଖୁଡା ତିଆରି ହେବାଟା ଏକଦମ ବାଧ୍ୟତାମୂଳକ ଥିଲା ଯେମିତି । ରାତିରେ ସବୁ ତିଆରି ହୋଇ ରଖାଯାଏ । ସକାଳେ ମୋ ପାଇଁ ପିତ୍ତଳ ତସଲାରେ ଭୋଗ ସଜାଡିଦିଏ ବୋଉ । ଉଖୁଡା , କଦଳୀ , ରାଶିଲଡୁ , ନଡ଼ିଆ , କାକୁଡି ଏମିତି ସବୁ । ନୂଆଡ୍ରେସ୍ ପିନ୍ଧି ଭୋଗ ତସଲା ଧରି ସ୍କୁଲ ଯିବାରେ ସେତେବେଳେ କି ଆନନ୍ଦ !! ଖୁସି ଖୁସି ସ୍କୁଲ ବାହାରିଲା ବେଳକୁ ଜେଜେମା' ଡକାଟେ ମାରିବ ପଛରୁ ....
"ହେ ଟୋକି , ଇସ୍କୁଲରେ ଭୋଗ ସରିଲା ପରେ ଆମ ତସଲାଟା ମନେ ପକେଇ ଚିହ୍ନିକି ଆଣିବୁ । ନହେଲେ ଡେଇଁ ଡେଇଁକି ପଳେଇ ଆସିବୁ ଛାଡି ଦେଇକି ।" ମୁଁ ବଡ଼ " ହୁଁ " ଗୋଟେ ମାରି ଦେଇକି ଡିଆଁଟେ ମାରେ । ଆଗରୁ ଚାନ୍ଦା ଆଦାୟ ହୋଇ ସେତେବେଳେ ସ୍କୁଲରେ ଫିଷ୍ଟ୍ ବି ହେଉଥିଲା । ପୂଜା ସାରି , ପୁଷ୍ପାଞ୍ଜଳି ଦେଇ , ଭୋଜିଭାତ ଖାଇ ଆମେ ଖୁସିରେ ଫେରୁଥିଲୁ ଘରକୁ ।
ଆଜିକାଲି ଛୁଆଙ୍କୁ କୌଣସି ଗୋଟିଏ ଦିନ ବି ପାଠରୁ ଫୁରସତ ନାହିଁ । ମୋ ପୁଅର କୋଚିଂ ଇନଷ୍ଟିଚ୍ୟୁଟ୍ ବି ଖୋଲା ଅଛି କାଲି । ପୂଜା ସହ ଯେମିତି କ୍ଲାସ ହେବା କଥା ହେବ ମଧ୍ୟ । ପିଲାମାନେ କାଲି ଭୋଗଥାଳି ନୁହେଁ ବହିପତ୍ର ବ୍ୟାଗ ଗୋଟେ ଗୋଟେ କାନ୍ଧରେ ପକେଇ ଇନଷ୍ଟିଚ୍ୟୁଟ୍ ଯିବେ । ନୂଆ ଡ୍ରେସ ନୁହେଁ ସେଇ ପୁରୁଣା ୟୁନିଫର୍ମରେ ଆଇକାର୍ଡ ଗୋଟେ ଗୋଟେ ବେକରେ ଝୁଲେଇ କ୍ଲାସରେ ବସିବେ । ମୋ ପୁଅର ଏଥିରେ ଦୁଃଖ ବି ସାମାନ୍ୟତମ ନାହିଁ । ସେ ଏବେ ମୋତେ ନୂଆ ପାଠ ପଢ଼ାଉଛି ଯେ ... ଗଣେଶ ପୂଜାରେ ପାଠ ପଢିଲେ କୁଆଡେ ଗଣେଶଙ୍କର ବେଶୀ କୃପା ମିଳେ ।
କୁଆଡେ ଗଲା ସେ ଦିନ ସବୁ !!!
✿❣️༒ *ଜୟ ଜଗନ୍ନାଥ* ༒❣️✿
🏵️🏵️🙏 🙏🏵️🏵️